
ବ୍ରହ୍ମପୁର,,୧୦/୭|୨୦୨୫( ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) : ୨୦୨୬ ଏପ୍ରିଲରେ ଓଡ଼ିଶାରେ ୪ଟି ରାଜ୍ୟ ସଭା ଆସନ ଖାଲି ହୋଇଯିବ। ଖାଲି ହେବାକୁ ଥିବା ଏହି ରାଜ୍ୟ ସଭା ଆସନଗୁଡିକୁ ନେଇ ଏବେଠାରୁ ୩ ମୁଖ୍ୟ ଦଳ ଗଣିତ କଷିବା ଆରମ୍ଭ କରିଦେଲେଣି। ରାଜ୍ୟ ସଭା ସଦସ୍ୟ ମୁଜିବୁଲ୍ଲା ଖାନ୍(ମୁନା), ନିରଞ୍ଜନ ବିଶି, ସୁଜିତ୍ କୁମାର ଏବଂ ମମତା ମହାନ୍ତଙ୍କ କାର୍ଯ୍ୟକାଳ ଏକାସଙ୍ଗେ ଶେଷହେବ। ଏହି ୪ ଆସନ ଲାଗି ହେବାକୁ ଥିବା ନିର୍ବାଚନ ବହୁ ରୋଚକପୂର୍ଣ୍ଣ ହେବ ବୋଲି ଏବେଠାରୁ ଚର୍ଚ୍ଚା ହେଲାଣି। ଉକ୍ତ ରାଜ୍ୟ ସଭା ନିର୍ବାଚନର ଗଣିତ ଯାହା କହୁଛି, ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିବ। ପୂର୍ବଭଳି ବିଜେଡି ଏହି ୪ ଆସନ ଲାଗି ନିର୍ବାଚନ ହେବା ସମୟରେ ପୁଣି ଥରେ ଭାଜପା ଆଡ଼କୁ ଢଳିଯିବ ନା ବିରୋଧୀ ଦଳ ଭୂମିକାକୁ ନିଷ୍ଠାପର ଭାବେ ତୁଲାଇବ, ତାହାକୁ ନେଇ ମୁଖ୍ୟତଃ ଆଲୋଚନା ହେଉଛି । ହେଲେ ଗୋଟିଏ ରାଜ୍ୟ ସଭା ଆସନ ନିଶ୍ଚିତ ଜିତିବାକୁ ଥିବା ବିଜେଡିର ଏକାଧିକ ନେତା ଏବେଠାରୁ ସେହି ବିଚାର ଚଳାଇଲେଣି। ଗତ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିବା ଅନେକ ନେତା କେମିତି ଟିକେ ସେହି ଗୋଟେ ରାଜ୍ୟ ସଭା ଆସନ ଜରିଆରେ ନିଜ ରାଜନୈତିକ ଜୀବନକୁ ସୁରକ୍ଷିତ କରିଦେବେ ସେଥିପାଇଁ ବହୁ ବିକଳ ହେଲେଣି। ହେଲେ ଖାଲି ହେବାକୁ ଥିବା ୪ର୍ଥ ରାଜ୍ୟ ସଭା ଆସନଟି ବିଶେଷ ଚର୍ଚ୍ଚାର କାରଣ ହେବ। କାରଣ କଂଗ୍ରେସ ଭୋଟ୍ ରାଜ୍ୟ ସଭା ନିର୍ବାଚନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ସୃଷ୍ଟି କରିବ। ରାଜ୍ୟ ସଭା ନିର୍ବାଚନ ପାଇଁ ବିଧାନସଭାରେ ଯେଉଁ ଅଙ୍କ ରହିଛି ତାହା ରୋଚକ ସ୍ଥିତି ସୃଷ୍ଟି କରିବା ସମ୍ଭାବନା ଅଧିକ। ଏଥର ଭୋଟିଂର ଗଣିତ ହିଁ ସେହିପରି ରହିଛି। କେତେ ବର୍ଷ ହେଲା ରାଜ୍ୟ ସଭା ଆସନ ଲାଗି ଭୋଟିଂ କରିବାକୁ ପଡୁ ନ ଥିଲା। ଏଥର କିନ୍ତୁ କୌଣସି ଦୁଇଟି ଦଳ ଯଦି ଏକାଠି ନ ହୁଅନ୍ତି ତେବେ ରାଜ୍ୟ ସଭାର ଗୋଟିଏ ଆସନ ଲାଗି ନିର୍ବାଚନ ହେବା ଏକ ପ୍ରକାର ନିଶ୍ଚିତ। ରାଜ୍ୟ ସଭାରେ ବିଜେଡିର ବର୍ତ୍ତମାନ ୭ ଜଣ ସଦସ୍ୟ ଥିବାବେଳେ ଭାଜପାର ସଂଖ୍ୟା ୩ ରହିଛି। ଓଡ଼ିଶା କଂଗ୍ରେସରୁ ଏବେ ରାଜ୍ୟ ସଭାରେ କେହି ନାହାନ୍ତି। ପୂର୍ବରୁ ବିଜେଡି ସହଯୋଗରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨ ଥର ରାଜ୍ୟ ସଭା ଯାଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭା ସଦସ୍ୟ ସୁଜିତ୍ କୁମାର ଏବଂ ମମତା ମହାନ୍ତ ବିଜେଡି ଛାଡ଼ିବା ସହ ରାଜ୍ୟ ସଭାରୁ ଇସ୍ତଫା ଦେଇଥିଲେ। ଏହାପରେ ସେହି ଦୁଇ ନେତା ଭାଜପାରେ ଯୋଗଦେଲେ। ଭାଜପା ମଧ୍ୟ ଉଭୟଙ୍କୁ ନିଜ ଦଳରୁ ରାଜ୍ୟ ସଭା ପାଇଁ ପ୍ରାର୍ଥୀ କରିଥିଲା। ଉଭୟ ମମତା ଏବଂ ସୁଜିତ୍ କୁମାର ସଂଖ୍ୟାବଳରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସହ ବର୍ତ୍ତମାନ ବଳକା ସମୟ ପାଇଁ ଭାଜପାର ରାଜ୍ୟ ସଭା ସଦସ୍ୟ ହୋଇଛନ୍ତି। ବିଧାନସଭା ସଂଖ୍ୟା ଅନୁଯାୟୀ ଭାଜପାର ୭୮ ଜଣ ସଦସ୍ୟ ଥିବାବେଳେ ସେମାନଙ୍କ ସହ ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିବା ଯୋଗୁ ଏହି ସଂଖ୍ୟା ୮୧ରେ ପହଞ୍ଚିଛି। ସେହିପରି ବିଜେଡିର ୫୧, କଂଗ୍ରେସର ୧୪, ଜଣେ ସିପିଆଇ(ଏମ୍) ବିଧାୟକ ଏବେ ବିଧାନସଭାରେ ଅଛନ୍ତି। ଅର୍ଥାତ୍ ଏଠାରେ ଶାସକ ଦଳ ବିରୋଧରେ ଯଦି ସବୁ ବିରୋଧୀ ଯଥା ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ୍) ଏକାଠି ହୁଅନ୍ତି ତେବେ ସେହି ସଂଖ୍ୟା ୬୬ରେ ପହଞ୍ଚିବ। ୪ଟି ଆସନ ବିଶିଷ୍ଟ ରାଜ୍ୟ ସଭା ଭୋଟିଂର ଗଣିତ ଦେଖିଲେ ଜଣେ ପ୍ରାର୍ଥୀକୁ ଜିତିବା ଲାଗି ( ଫାଷ୍ଟ ପ୍ରିଫରେନ୍ସ) ୩୦ ଖଣ୍ଡ ଭୋଟ୍ର ଆବଶ୍ୟକତା ପଡିବ। ତେଣୁ ଖାଲି ହେବାକୁ ଥିବା ୪ ଆସନ ମଧ୍ୟରୁ ୨ଟି ଭାଜପା ନିର୍ଦ୍ୱନ୍ଦ୍ୱରେ ଦଖଲ କରିପାରିବ। ଆଉ ୨ ଖାଲି ଆସନ ମଧ୍ୟରୁ ବିଜେଡି ଖାତାକୁ ମଧ୍ୟ ନିଶ୍ଚିତ ଗୋଟିଏ ଯିବ। ଶେଷ ଗୋଟିଏ ଆସନ ଲାଗି ଗଣିତ ଖେଳ ବଡ ଜଟିଳ ରହିବ। ଏଠାରେ ଯଦି କଂଗ୍ରେସ, ସିପିଆଇ(ଏମ୍) ଏବଂ ବିଜେଡି ଏକାଠି ହୋଇଯାଆନ୍ତି ତେବେ ୪ର୍ଥ ଆସନ ବିରୋଧୀ ସହଜରେ ରଖିଦେଇପାରିବେ। ଏହି ପରିସ୍ଥିତିରେ ରାଜନୈତିକ ଦୃଷ୍ଟିକୋଣରୁ କଂଗ୍ରେସ ନିଶ୍ଚିତ ସେହି ଗୋଟିଏ ଆସନରେ ନିଜର ପ୍ରାର୍ଥୀ ଦେବା ପାଇଁ ଚାହିଁପାରେ। କିନ୍ତୁ ୨୦୧୪ ପରଠାରୁ ବିଜେଡିର ଆଭିମୁଖ୍ୟ ଦେଖିଲେ ରାଜ୍ୟ ସଭାଠାରୁ ଲୋକ ସଭା ପର୍ଯ୍ୟନ୍ତ ସବୁଥିରେ ସେମାନେ ଭାଜପା ସମର୍ଥିତ ଏନ୍ଡିଏ ସହ ରହି ଆସିଛନ୍ତି। ଅନେକ ସମୟରେ କେନ୍ଦ୍ରର ଭାଜପା ନେତୃତ୍ୱ କୌଣସି ବିଷୟରେ ସମର୍ଥନ ଲୋଡିବା ପୂର୍ବରୁ ବିଜେଡି ନିଜର ସମର୍ପଣ ଭାବ ଦେଖାଇବାର ଅନେକ ନଜିର ରହିଛି। ବିଜେଡି ସରକାର ସମୟରେ ଅତ୍ୟଧିକ କ୍ଷମତାଶାଳୀ ଥିବା କେତେଜଣ ଆଇଏଏସ୍ ଏବଂ ଆଇପିଏସ୍ ଅଫିସରଙ୍କ ବଦଳି ଯେଭଳି ଢଙ୍ଗରେ ଭାଜପା ସରକାର କିଛିଦିନ ତଳେ କରି ସେମାନଙ୍କୁ ସୁରକ୍ଷା ଦେଇଛନ୍ତି, ସେଥିରୁ ଭାଜପା କେନ୍ଦ୍ରୀୟ ନେତାଙ୍କ ସହ ରାଜ୍ୟ ବିରୋଧୀ ଦଳର ସମ୍ପର୍କ କେତେ ନିବିଡ଼ ସେକଥା ଏକ ପ୍ରକାର ସ୍ପଷ୍ଟ। ଅନ୍ୟପଟେ ରାଜ୍ୟ ସଭାରେ ମଧ୍ୟ ଭାଜପା ତା’ର ଗୋଟିଏ ହେଲେ ଆସନ କମିଯାଉ ସେକଥା କେବେହେଲେ ଚାହିଁ ନ ପାରେ। ଏହି ବିଷୟକୁ ଲକ୍ଷ୍ୟକରି ବୋଧହୁଏ, ବିଜେଡି ସରକାରରେ ଦୁର୍ନୀତି କରିଥିବା ବଡ ବଡ଼ିଆଙ୍କ ଉପରେ ଭାଜପା ଯେଉଁ କାର୍ଯ୍ୟାନୁଷ୍ଠାନ ନେବ ବୋଲି ନିର୍ବାଚନ ପୂର୍ବରୁ କହୁଥିଲା ତାହା ଏପର୍ଯ୍ୟନ୍ତ ଦେଖିବାକୁ ମିଳୁନାହିଁ। ଅନେକଙ୍କ କହିବାନୁଯାୟୀ, କେନ୍ଦ୍ର ଭାଜପା ସହ ବିଜେଡିର ଅତ୍ୟଧିକ ମଧୁର ସମ୍ପର୍କ ରାଜ୍ୟରେ ସରକାର ପରିବର୍ତ୍ତନର ଏକ ବଡ କାରଣ ପାଲଟିଲା। ଏହି ଆଭିମୁଖ୍ୟ କିପରି ବଦଳିବ ସେନେଇ ଏଯାଏ ବିଜେଡି ଶୀର୍ଷ ନେତା ଚିନ୍ତାକରିବା ଭଳି ମନେହେଉନାହିଁ। ରାଜ୍ୟ ସଭା ଗଣିତ ଏତେ ଜଟିଳ ଥିଲେ ସୁଦ୍ଧା ବିଜେଡିର ବହୁ ବରିଷ୍ଠ ନେତା ଏକାଠି ହୋଇ ଆସନ୍ତା ରାଜ୍ୟ ସଭା ନିର୍ବାଚନରେ କିପରି ସେମାନେ ୨ଟି ଯାକ ଆସନ ରଖିପାରିବେ ସେକଥା ଚିନ୍ତା କରୁନାହାନ୍ତି। ସେମାନଙ୍କ ମଧ୍ୟରୁ ପରାଜିତ ହୋଇଥିବା ବହୁ ନେତା କିନ୍ତୁ ନିଜକୁ ସୁରକ୍ଷିତ ରଖିବା ଲାଗି କିପରି ଏହି ଆସନରେ ବସିଯିବେ ସେଥିଲାଗି ମସୁଧା ଆରମ୍ଭ କଲେଣି। ଗତ କେତେବର୍ଷ ହେଲା ନବୀନଙ୍କ ଅତି ଆପଣାର ଭି.କେ. ପାଣ୍ଡିଆନ୍ ଭାଜପା କେନ୍ଦ୍ରୀୟ ନେତାଙ୍କ ସହ ରାଜ୍ୟ ସଭା ଆସନକୁ ନେଇ କିଭଳି ଚୁକ୍ତି କରିଛନ୍ତି ସେ ଆଡ଼କୁ ଆଉ କେହି ଭାବୁନାହାନ୍ତି। ଓ୍ବକଫ୍ ବିଲ୍ ସମୟରେ ଭି.କେ.ଙ୍କ ଖେଳ ଦେଖିବା ପରେ ରାଜ୍ୟ ସଭା ନିର୍ବାଚନରେ ଗୋଟିଏ ଆସନ ଯେ ଭାଜପା ହାତକୁ ସେ ଟେକି ନ ଦେବେ ସେକଥାକୁ ଏଡ଼ାଇ ଦିଆଯାଇ ନ ପାରେ।
ରାଜ୍ୟ ସଭା ଭୋଟିଂର ଫର୍ମୁଲା ।
ରାଜ୍ୟ ସଭା ନିର୍ବାଚନ ପ୍ରିଫରେନ୍ସିଆଲ ଭୋଟିଂ ଆଧାରରେ କରାଯାଇଥାଏ। ରାଜ୍ୟ ସଭା ନିର୍ବାଚନରେ କେବଳ ବିଧାନସଭାର ସଦସ୍ୟମାନେ ଭୋଟ ଦେଇଥାଆନ୍ତି। ଓଡ଼ିଶା ବିଧାନସଭାର ସଦସ୍ୟ ସଂଖ୍ୟା ୧୪୭। ନିୟାମାନୁଯାୟୀ ଗୋଟିଏ ଭୋଟ ପରିମାଣ ୧୦୦ ଧରାଯାଇଥାଏ। ଏହାର ଭୋଟିଂ ଫର୍ମୁଲା ହେଉଛି, ବିଧାନସଭାର ଭ୍ୟାଲିଡ୍ ଆସନ ସଂଖ୍ୟା(୧୪୭) ଗୁଣନ(x) ୧୦୦ ବିଭକ୍ତ(/) ରାଜ୍ୟ ସଭା ପାଇଁ ଖାଲିଥିବା ଆସନ ସଂଖ୍ୟା(୪) ଯୁକ୍ତ(+) ୧ ଯାହା ଫଳ ବାହାରିବ ତାହା ସହ ଯୁକ୍ତ(+) ୧। ଅର୍ଥାତ୍ (୧୪୭ x୧୦୦/୪+୧)+୧ ହିସାବରେ ଯାହା ବାହାରିବ ସେତିକି ଭୋଟ୍ ଜଣେ ପ୍ରାର୍ଥୀକୁ ଆବଶ୍ୟକ ପଡିବ। ଏହାକୁ ହିସାବ କଲେ ଫଳ ୨୯୪୧ ବାହାରୁଛି। ତେଣୁ ଜଣେ ପ୍ରାର୍ଥୀଙ୍କୁ ଜିତିବା ଲାଗି ୩୦ ଖଣ୍ଡ ଭୋଟର ଆବଶ୍ୟକତା ପଡିବ। ଆସନ୍ତା ଏପ୍ରିଲରେ ଖାଲି ହେବାକୁ ଥିବା ୪ ଆସନକୁ ନେଇ ଏହି ହିସାବ କରାଯାଇଛି। ପ୍ରତି ଭୋଟରଙ୍କ ପ୍ରଥମ ଭୋଟ୍ ଯାହାକୁ ଯାଇଥିବ ସେ ହିଁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ। ସେହି ଅନୁଯାୟୀ ଯଦି ୪ ଖାଲି ଆସନକୁ ନେଇ ଦେଖିବା ତେବେ ଭାଜପାର ୬୦ ଜଣ ସଦସ୍ୟ ସେମାନଙ୍କ ପ୍ରଥମ ଭୋଟ୍ରେ ୨ ଜଣଙ୍କୁ ସରଳ ଭାବେ ଜିତାଇ ଦେଇପାରିବେ। ସେହିପରି ସଂଖ୍ୟା ଦୃଷ୍ଟିରୁ ଗୋଟିଏ ଆସନରେ ବିଜେଡି ମଧ୍ୟ ସହଜରେ ଜିତିପାରିବ। ହେଲେ ୪ର୍ଥ ଆସନ ଲାଗି କୌଣସି ଦଳର ସଂଖ୍ୟା ହେବ ନାହିଁ। ଏହି ଆସନ ସକାଶେ ଭାଜପା ସପକ୍ଷରେ ୨୧ ଏବଂ ବିଜେଡି ସପକ୍ଷରେ ୨୧ ଖଣ୍ଡ ଭୋଟ ରହିବ। ଯଦି ଉଭୟ ଦଳର ସମସ୍ତ ସଦସ୍ୟ ଭୋଟ ଦେବା ଲାଗି ଆସନ୍ତି, ଏହି କ୍ଷେତ୍ରରେ କଂଗ୍ରେସ ପାଖରେ ୧୪ ଏବଂ ଗୋଟିଏ ସିପିଆଇ(ଏମ୍) ସଦସ୍ୟଙ୍କ ଭୋଟ୍ ବହୁ ଗୁରୁତ୍ୱ ବହନ କରିବ। ବିଜେଡି ଯଦି ଏମାନଙ୍କ ସହ ଏକାଠି ହୁଏ ତେବେ ୪ର୍ଥ ଆସନ ବିରୋଧୀଙ୍କ ଦଖଲରେ ରହିପାରିବ। ଯଦି ବିଜେଡି ଏହି ସମୟରେ କଂଗ୍ରେସ ସହ ଏକାଠି ନ ହୁଏ କିମ୍ବା କୌଣସି କାରଣରୁ ବିରୋଧୀ ଏକାଠି ନ ହୁଅନ୍ତି, ତେବେ ଭୋଟ୍ ଦେଇଥିବା ସଦସ୍ୟମାନଙ୍କ ଦ୍ୱିତୀୟ ଭୋଟ (ସେକେଣ୍ଡ ପ୍ରିଫରେନ୍ସ) କାଉଣ୍ଟ କରାଯିବ। ଏପରି ଭାବେ ଯଦି ସମସ୍ତେ ଅଲଗା ଅଲଗା ହୋଇ ଭୋଟ୍ ଦିଅନ୍ତି ସଂଖ୍ୟା ଦୃଷ୍ଟିରୁ ଭାଜପା ଉକ୍ତ ଆସନରେ ବାଜିମାତ୍ କରିଯିବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ରାଜ୍ୟ ସଭା ଭୋଟିଂ ହେବ ସେତେବେଳେ ଯଦି କୌଣସି ସଦସ୍ୟଙ୍କ ଭୋଟ ନାକଚ ହୋଇଯାଏ ସେ କ୍ଷେତ୍ରରେ ମଧ୍ୟ ଗଣିତ ଅଲଗା ହେବ। କାରଣ ପ୍ରଥମରୁ ଆମେ ଉଲ୍ଲେଖ କରିଛୁ ଭ୍ୟାଲିଡ୍ ଭୋଟକୁ ହିଁ ଗଣତିରେ ନିଆଯିବ। ଯେତିକି ଭୋଟ ନାକଚ ହେବ ବିଧାନସଭା ସଦସ୍ୟଙ୍କ ମୋଟ୍ ସଂଖ୍ୟାରୁ ସେହି ଆସନ କାଟିଦେଇ ଗଣିତ କରାଯିବ। ଉଦାହରଣ ଭାବେ ୨ ଜଣଙ୍କ ଭୋଟ ନାକଚ ଯଦି ହୋଇଯାଏ ସେଠାରେ ଫର୍ମୁଲା ହେବ, ୧୪୭-୨=୧୪୫। (୧୪୫x୧୦୦/୪+୧)+୧। ଏହି କ୍ଷେତ୍ରରେ ଗୋଟିଏ ଭୋଟ୍ ଲାଗି ୨୯ ଖଣ୍ଡ ଭୋଟର ଆବଶ୍ୟକତା ପଡିବ। ଏହିଭଳି ହୋଇଥାଏ ରାଜ୍ୟ ସଭା ଭୋଟିଂର ହିସାବ।