ବ୍ରହ୍ମପୁର, ୧୫ ଜୁଲାଇ ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) : ସ୍ଥାନୀୟ ଦୁଇ ନମ୍ବର ୱାର୍ଡର ବିଭିନ୍ନ ଅଞ୍ଚଳ ସମ୍ପୂର୍ଣ୍ଣ ଅଵ୍ୟଵସ୍ଥା ଘେରରେ ରହିଛି। ରାସ୍ତା ଓ ନାଳ ସମସ୍ୟା ଏବେ ସ୍ଥାନୀୟ ବାସିନ୍ଧାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ବିଶେଷ କରି ଅଂଚଳର ବାଙ୍କେଶ୍ୱରୀ ନଗର ଏବଂ ଲକ୍ଷ୍ମୀ ନୃସିଂହ ସାହି ୧୧ ନଂ ଗଳିର ଅବସ୍ଥା ନ କହିବା ଭଲ। ବର୍ଷା ହେଲେ ଏଠି ଜଳବନ୍ଦୀ ସମସ୍ୟା ଉପୁଜୁଛି। କଦର୍ଯ୍ୟ ରାସ୍ତା ସାଙ୍ଗକୁ ବର୍ଷା ଜଳ ସଠିକ୍ ଭାବେ ନିଷ୍କାସନ ହୋଇପାରୁନଥିବାରୁ ନାଳ ପାଣି ଘରେ ପଶୁଛି। ସାମାନ୍ୟ ବର୍ଷାରେ ଉକ୍ତ ଅଂଚଳ ବିଛିନ୍ନାଂଚଳରେ ପରିଣତ ହେଉଛି।
ଏନେଇ ଆଜି ସ୍ଥାନୀୟ ଯୁବ ନେତା ତଥା ପୂର୍ବତନ ବିଜେପି କର୍ପୋରେଟର ପ୍ରାର୍ଥୀ ଅନୁପ ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳବାସୀ ମହାନଗର ନିଗମର ଦ୍ୱାରସ୍ତ ହୋଇ ସମସ୍ୟା ସମ୍ପର୍କିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଖୋଦ କମିଶନର ଉକ୍ତ ଅଂଚଳ ପରିଦର୍ଶନ କରି ଲାଗିରହିଥିବା ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଲୋକେ ଦାବି ଜଣାଇଛନ୍ତି। ପୂର୍ବରୁ ବହୁବାର ଅବଗତ ପରେ ବି କତ୍ତୃପକ୍ଷ ଧ୍ୟାନ ଦେଉନଥିବା ୱାର୍ଡ ବାସୀ ଅଭିଯୋଗ କରିଛନ୍ତି। କମିଶନରଙ୍କ ଅନୁପସ୍ଥିତିରେ ଡେପୁଟି କମିଶନର କଲ୍ୟାଣି ସଂଘମିତ୍ରାଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଜୟ କୁମାର ପଣ୍ଡା,ମମତା ପାଣିଗ୍ରାହୀ,ସୀମାଞ୍ଚଳ ସାହୁ,ମମତା ସେଠି, ଟୁନି ଦାସଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
