ଓଡ଼ିଶା ରାଜନୀତିରେ ଏକ ଜଣାଶୁଣା ନାଁ-ରମେଶ ଜେନା। କଂଗ୍ରେସର ବରିଷ୍ଠ ନେତା ତଥା ସାନଖେମୁଣ୍ଡିର ଲୋକପ୍ରିୟ ବିଧାୟକ ରମେଶ ଜେନା ଏବେ ପୁଣି ଚର୍ଚ୍ଚାରେ। ତାଙ୍କର ଜନସଂଯୋଗ, ସାମାଜିକ କାର୍ଯ୍ୟ ଓ ରାଜନୈତିକ ଚାଲ୍ ଓଡ଼ିଶା କଂଗ୍ରେସକୁ ନୂଆ ଦିଗ ଦେଉଛି। ସେଇଥିପାଇଁ ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତାଙ୍କୁ ଦେଇଛି ଗୁରୁ ଦାୟିତ୍ବ । ପିସିସି ସଭାପତିଙ୍କ ନୂଆ ଟିମରେ ସେ ଉପସଭାପତି ଦାୟିତ୍ବ ଗ୍ରହଣ କରିଛନ୍ତି । ଯାହାକୁ ନେଇ ଉତ୍ସାହିତ ରମେଶ ଜେନାଙ୍କ ସହଯୋଗୀ, ସମର୍ଥକ ଓ ପ୍ରଶଂସକ । ତେବେ ଚାଲନ୍ତୁ ରମେଶ ଜେନାଙ୍କୁ ନେଇ ଦେଖିବା ଆଜିର ସ୍ପେଶାଲ ରିପୋର୍ଟ…
ରମେଶ ଜେନା, ଗଞ୍ଜାମ ଜିଲ୍ଲାର ଏକ ଶକ୍ତିଶାଳୀ ରାଜନୈତିକ ଚେହେରା। ଦୁଇ ଦୁଇ ଥର ସେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରମୁଖ ଓ ସମ୍ମାନଜନକ ବିଧାନସଭା କ୍ଷେତ୍ର ସାନଖେମୁଣ୍ଡି ବିଧାନସଭା ଆସନରୁ ବିଜୟୀ ହୋଇ ଲୋକଙ୍କ ସେବାରେ ବ୍ରତି ଅଛନ୍ତି । ଅସହାୟଙ୍କୁ ସେମାନଙ୍କ ଅସମୟରେ ଆର୍ଥିକ ସହାୟତା ହେଉ କିମ୍ବା ଆବଶ୍ୟକ କରୁଥିବା ପିଲାମାନଙ୍କୁ ଶିକ୍ଷା ଓ ରୋଜଗାର ପାଇଁ ସହଯୋଗ ପ୍ରଦାନ କରିବା ସବୁଥିରେ ଆଗରେ ରମେଶ ଜେନା । ଗରିବ ଅସହାୟ ପରିବାରର ଝିଅକୁ ବିବାହ ଦେବା ହେଉ କିମ୍ବା କାହାର କୌଣସି ଦୁର୍ବଳ କାର୍ଯ୍ୟରେ ଛିଡ଼ା ହୋଇ ସମବେଦନା ଜଣାଇବେ ସବୁଥିରେ ସବୁବେଳେ ସମସ୍ତଙ୍କ ପାଖରେ ଖୋଜା ପଡ଼ିଲେ ପହଞ୍ଚି ଯାଉଥିବା ବ୍ୟକ୍ତି ହେଉଛନ୍ତି ବିଧାୟକ ରମେଶ ଜେନା ବା ସମସ୍ତଙ୍କ ପ୍ରିୟ ରମେଶ ଭାଇନା ।
ଯାହା ତାଙ୍କୁ ଓଡ଼ିଶା ରାଜନୀତିରେ ନିଜର ସ୍ଥାନ ମଜବୁତ କରିବାରେ ବେଶ୍ ସହାୟକ ହୋଇଛି । ରମେଶ ଜେନାଙ୍କ ସରଳ ବ୍ୟକ୍ତିତ୍ୱ ଓ ଲୋକଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳତା ତାଙ୍କୁ ଜନଗଣଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।
ରମେଶ ଜେନାଙ୍କ ରାଜନୈତିକ ଯାତ୍ରା କେବଳ ନିର୍ବାଚନ ଜିତିବା ପର୍ଯ୍ୟନ୍ତ ସୀମିତ ନୁହେଁ। ସାନଖେମୁଣ୍ଡିରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅବକାଠାମୋ ଉନ୍ନୟନ କ୍ଷେତ୍ରରେ ତାଙ୍କର ଯୋଗଦାନ ଅନେକଙ୍କ ପାଇଁ ପ୍ରେରଣା। କୋଭିଡ ମହାମାରୀ ସମୟରେ ସେ ନିଜ ଅଞ୍ଚଳରେ ଖାଦ୍ୟ ବଣ୍ଟନ, ମେଡିକାଲ ସାହାଯ୍ୟ ଓ ଜନସଚେତନତା କାର୍ଯ୍ୟକ୍ରମ ପରିଚାଳନା କରି ଲୋକଙ୍କ ମନ ଜିଣିଥିଲେ।
ସମ୍ପ୍ରତି ରମେଶ ଜେନା ରାଜ୍ୟ ସରକାରଙ୍କୁ ବେକାରୀ, ମୂଲ୍ୟବୃଦ୍ଧି ଓ ଦୁର୍ନୀତି ପ୍ରସଙ୍ଗରେ ଘେରୁଛନ୍ତି। ତାଙ୍କର ଜୋରଦାର ବକ୍ତବ୍ୟ ଓ ଜନସମସ୍ୟା ଉଠାଇବାର କୌଶଳ ତାଙ୍କୁ ବିରୋଧୀ ନେତା ଭାବେ ଅଧିକ ଶକ୍ତିଶାଳୀ କରିଛି। ଗଞ୍ଜାମ ଜିଲ୍ଲାରେ ତାଙ୍କର ସଙ୍ଗଠନାତ୍ମକ ନେତୃତ୍ୱ କଂଗ୍ରେସକୁ ନୂଆ ଜୀବନ ଦେବାରେ ସହାୟକ ହେଉଛି।
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ କଂଗ୍ରେସର ପ୍ରାର୍ଥୀ ଭାବରେ ସାନଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୫,୮୭୬ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କୁ ୧୦,୬୬୨ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଆଉ ଏବେ ରମେଶ ଜେନାଙ୍କ ନେତୃତ୍ୱ ଓଡ଼ିଶା କଂଗ୍ରେସ ପାଇଁ ଏକ ନୂଆ ସମ୍ଭାବନା ଆଣୁଛି। ଆଗାମୀ ଦିନରେ ସେ କିପରି ଦଳକୁ ଏକଜୁଟ କରି ବିରୋଧୀ ସ୍ୱରକୁ ଶକ୍ତିଶାଳୀ କରୁଛନ୍ତି, ତାହା ଉପରେ ରହିଛି ରାଜନୈତିକ ବିଶେଷଜ୍ଞ ଓ ଜନସାଧାରଣଙ୍କ ନଜର।
ବ୍ୟୁରୋ ରିପୋର୍ଟ ଖବର ସଙ୍ଗେ ସଙ୍ଗେ