ଚାଳକ ଧର୍ମଘଟରେ ପଶିଲା ରାଜନୀତି

Khabar Sange Sange

July 11, 2025

1
Min Read

ବ୍ରହ୍ମପୁର,,୧୦/୭|୨୦୨୫( ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) : ତିନି ଦିନ ହେଲା ପରିବହନ ଯନ୍ତ୍ରଣା କମୁ ନାହିଁ। ଆସନ୍ତାକାଲିକୁ ଏହା ୪ଦିନ ପୂରିବ। ଗୋଟିଏ ପଟେ ଓଡ଼ିଶା ଡ୍ରାଇଭର ମହାସଂଘ ଦାବି ପୂରଣ ନେଇ ସରକାରଙ୍କଠାରୁ ଲିଖିତ ପ୍ରତିଶୃତି ଚାହୁଁଥିବାବେଳେ ଅନ୍ୟ ପଟେ ସରକାର ଆଲୋଚନା ପାଇଁ ସମୟ ଗଡ଼ାଇ ଚାଲିଛନ୍ତି। ଗୁରୁବାର ଡ୍ରାଇଭରଙ୍କ ଆ‌େ‌ନ୍ଦାଳନ ପାଇଁ ରାଜ୍ୟର ବିଭିନ୍ନ ଜିଲାରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ଆଲୋଚନା କରି ତୁରନ୍ତ ଆନ୍ଦୋଳନ ବନ୍ଦ କରାଇବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ଓ କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଅନ୍ୟପକ୍ଷରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓଡ଼ିଶା ଡ୍ରାଇଭର ମହାସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଛନ୍ତି। ଏ ନେଇ ନିଜ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ହ୍ୟାଣ୍ଡଲରେ ସେ ଉଲ୍ଲେଖ କରିଛନ୍ତି ଯେ, ”ଆନ୍ଦୋଳନ କରୁଥିବା ଡ୍ରାଇଭର ମହାସଂଘର ସମସ୍ତ ଦାବିକୁ ଡ୍ରାଇଭରଙ୍କ ହିତରେ ଥିବା ସରକାର ଶୁଣି ଓ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହୋଇସାରିଥିବାବେଳେ ପୁଣି ଆନ୍ଦୋଳନର ଆବଶ୍ୟକତା ନାହିଁ। ଆସନ୍ତା ୧୧ ତାରିଖରେ ଥିବା କଂଗ୍ରେସ ରାଲିକୁ ସମର୍ଥନ ଦେଇ ଦିନକ ପାଇଁ ସ୍ଥଗିତ ରଖିବା ଆନ୍ଦୋଳନରେ ରାଜନୀତି ଦେଖାଦେଇଛି। ନିରୀହ, ସରଳ ଡ୍ରାଇଭରଙ୍କୁ ଡ୍ରାଇଭର ମହାସଂଘ ନେତା ଆନ୍ଦୋଳନ ନାମରେ ଭ୍ରମିତ କରନ୍ତୁ ନାହିଁ। ଡ୍ରାଇଭର ଭାଇମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ନିବେଦନ କରୁଛି” ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଡ୍ରାଇଭରଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚି ଥିବାବେଳେ ରେଳ ସୁବିଧା ନଥିବା ଅଞ୍ଚଳର ଲୋକେ ଜରୁରୀ କାମରେ ଯିବା ଆସିବା ଲାଗି ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି। କିଏ ପରୀକ୍ଷା ଦେବା ପାଇଁ ଯାଇପାରୁନି ତ ଆଉ କିଏ ଚିକିତ୍ସା ପାଇଁ ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚିବାରେ ଅସମର୍ଥ ହେଉଛି। ସବୁ ଜିଲାରେ ଟ୍ରକ୍‌, ବସ୍, ଅଟୋ, ଟ୍ୟାଙ୍କର ସବୁ ଛିଡ଼ା ହୋଇ ରହିଛି। କଟକରେ ଆଜି ଜଣେ ଯୁବକ ନିଜ ପିତାଙ୍କ ମୃତଦେହ ଧରି କେନ୍ଦ୍ରାପଡ଼ା ଯିବା ଲାଗି ବସ୍‌କୁ ଅପେକ୍ଷା କରି ରହିବା ଦୁଃଖଦ ପରିସ୍ଥିତି ସୃଷ୍ଟି କରିଥିଲା। ବଲାଙ୍ଗିର ଏବଂ ଆଉ କିଛି ଜିଲାରେ ଆନ୍ଦୋଳନରତ ଡ୍ରାଇଭର ଚାଲୁଥିବା ଗାଡ଼ିକୁ ଅଟକାଇ ଚାଳକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେହିପରି କିଛି ସ୍ଥାନରେ ଚାଳକଙ୍କୁ ଅଟକାଇ ତାଙ୍କୁ ମୁଣ୍ଡିଆ ମାରି ଆନ୍ଦୋଳନକାରୀ ପ୍ରତିବାଦ ଜଣାଇଛନ୍ତି। ଆଉ କିଛି ସ୍ଥାନରେ ଡ୍ରାଇଭରମାନେ ତେଲ ଟ୍ୟାଙ୍କରକୁ ଅଟକାଇଥିଲେ। ଫଳରେ ପୁଲିସ ସୁରକ୍ଷାରେ ତେଲ ଟ୍ୟାଙ୍କର ଆଗକୁ ବଢ଼ିଥିଲା। ପେଟ୍ରୋଲ ଓ ଡିଜେଲ ସରିଯିବା ଆଶଙ୍କାରେ ତେଲ ଟାଙ୍କି ଗୁଡ଼ିକରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ଅନେକ ପେଟ୍ରୋଲ ପମ୍ପ ବନ୍ଦ ଥିବାରୁ ବାହାରେ ଚଢ଼ା ଦରରେ ଇନ୍ଧନ ବିକ୍ରି ହେଉଥିଲା। ଏଲ୍‌ପିଜି ଟାଙ୍କି ଲୋକଙ୍କ ଘରେ ପହଞ୍ଚାଇବା ପାଇଁ ଡିପୋରୁ ଗାଡ଼ି ବାହାରି ପାରୁନି। ଆଜି ଭିତରେ ଡ୍ରାଇଭରଙ୍କ ଆନ୍ଦୋଳନ ବନ୍ଦ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଗୁରୁବାର ପୂର୍ବାହ୍ଣରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆଜି ରାତି ସୁଦ୍ଧା ସରକାରଙ୍କ ସହ ଆଲୋଚନା ହୋଇ ନ ଥିବା ଡ୍ରାଇଭର ମହାସଂଘ କହିଥିବାରୁ ଶୁକ୍ରବାର ମଧ୍ୟ ଗାଡ଼ି ଚଳାଚଳ ପ୍ରଭାବିତ ହେବା ସ୍ପଷ୍ଟ ହୋଇଛି। ଆଜି ଯୋଗାଣ ମନ୍ତ୍ରୀ ଓ ପେଟ୍ରୋଲ ଡିଜେଲ ଡିଲର ସଂଘ ମଧ୍ୟରେ ତୈଳ ସଂକଟକୁ ନେଇ ଆଲୋଚନା ହୋଇଥିଲା। ରାଜ୍ୟରେ ଯେତିକି ଇନ୍ଧନ ଅଛି, ସେଥିରେ ଦୁଇ ଦିନ ପର୍ଯ୍ୟନ୍ତ କାମ ଚାଲିପାରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ବଜାରରେ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି, ତେଣୁ ଭୟଭୀତ ନ ହେବା ଲାଗି ମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Related Post