ବ୍ରହ୍ମପୁର : ଏମକେସିଜି ମେଡିକାଲରେ ଦଲାଲ ରାଜ ଦେଖିବାକୁ ମିଳୁଛି ା ଏମକେସିଜିର ବିଭିନ୍ନ ବିଭାଗରେ ମାଳ ମାଳ ଦଲାଲ ବୁଲୁଥିବା ବେଳେ ଆଡମିଶନ ହୋଇଥିବା ରୋଗୀଙ୍କୁ ମିଛସତ କହି ଶଯ୍ୟାରୁ ହିଁ ଘରୋଇ ହସପିଟାଲକୁ ଟାଣି ନେଉଛନ୍ତି ା ବଡକଥା ହେଲେ ମାଳମାଳ ଦଲାଲ ବୁଲୁଥିବା ଏମକେସିଜି କର୍ତ୍ତୃପକ୍ଷ ଜାଣିଥିଲେ ମଧ୍ୟ ଚୁପ ରହୁଛନ୍ତି ା ଏ ଦିଗରେ ଜିଲା ପ୍ରଶାସନ ଦଅଷ୍ଟି ଦେବାକୁ ଅନେକ ରୋଗୀ ସମ୍ପର୍କୀୟ ଦାବି କରିଛନ୍ତି ା ସୂଚନାଥାଉକି, ଏମକେସିଜି ମେଡିକାଲକୁ ଗଞ୍ଜାମ ସମେତ ଆଖାପାଖ ଜିଲାର ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଆସୁଛନ୍ତି ା ସେଥି ମଧ୍ୟରୁ ଅନେକ ଗୁରୁତର ରୋଗୀ ଏମକେସିଜିର ବିଭିନ୍ନ ବିଭାଗର ଇନଡୋରେ ଆଡମିସନ ହେଉଛନ୍ତି ା ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀଙ୍କ ଅସ୍ତ୍ରପଚାର ତାରିଖ ମଧ୍ୟ ଧାର୍ଯ୍ୟ କରାଯାଉଛି ା ହେଲେ ଅସ୍ତ୍ରପଚାର ହେବା ପୂର୍ବରୁ ସେହି ରୋଗୀଙ୍କ ନିକଟରେ ଦଲାଲମାନେ ପହଞ୍ଚି ଯାଉଛନ୍ତି ା ବିଶେଷକରି ଅସ୍ଥିଶଲ୍ୟ ବିଭାଗ, ସର୍ଜରୀ ବିଭାଗ ଓ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଏଭଳି ଦୃଶ୍ୟ ସବୁବେଳେ ଦେଖିବାକୁ ମିଳୁଛି ା

ଦଲାଲମାନେ ଏମକେସିଜିର ଅଟେଣ୍ଡାଣ୍ଟ ଭଳି ବୁଲାବୁଲି କରିବା ସହ ସୁଯୋଗ ଦେଖି ରୋଗୀଙ୍କ ନିକଟରେ ପହଞ୍ଚିବା ସହ ସେମାନଙ୍କୁ ବିଭିନ୍ନ କଥା କହି ଘରୋଇ ହସପିଟାଲକୁ ଯିବାକୁ ପ୍ରବର୍ତ୍ତାଉଛନ୍ତି ା ଏପରିକି ଏମକେସିଜିରେ ଭଲ ଡାକ୍ତର ନାହାନ୍ତି ଏଠାରେ କେହି ପଚାରିବେନି ବୋଲି ରୋଗୀଙ୍କୁ ମିଛସତ କହୁଛନ୍ତି ା ବିଏସକେୱାଇ କାର୍ଡ ଓ ଆୟୁଷମାନ ଯୋଜନାରେ କାର୍ଡ ପାଇଥିବା ରୋଗୀଙ୍କୁ ଦଲାଲମାନେ ଟାର୍ଗେଟ କରୁଛନ୍ତି ା

ସରକାରୀ ସ୍ବାସ୍ଥ୍ୟକାର୍ଡ ଥିଲେ କିମ୍ବା ରେସନ କାର୍ଡ ଥିଲେ ମାଗଣାରେ ଅସ୍ତ୍ରପଚାର ପରୀକ୍ଷା, ଔଷଧ ଇନଜେକ୍ସନ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେବା ସହ ଗରିବ ରୋଗୀଙ୍କୁ ଘରୋଇ ହସପିଟାଲରେ ନେଇ ଭର୍ତ୍ତି କରାଯାଉଛନ୍ତି ା ପ୍ରତ୍ୟେକ ରୋଗୀ ପିଛା ଦଲାଲମାନେ ଘରୋଇ ହସପିଟାଲରୁ କମିଶନ ପାଉଛନ୍ତି ା ତେବେ ଏମକେସିଜିରେ ଏହି ଦଲାଲ ରାଜ ବିଷୟରେ ସଂପୃକ୍ତ ବିଭାଗର ଡାକ୍ତର, ନର୍ସିଂ ଅଫିସର ଓ ଆଟେଣ୍ଡାଣ୍ଟମାନେ ସବୁ ଜାଣିଥିଲେ ମଧ୍ୟ ଚୁପ ରହୁଛନ୍ତି ା ଏପରିକି କିଛି ଡାକ୍ତରଙ୍କ ଜାଣତରେ ଦଲାଲମାନେ ରୋଗୀଙ୍କ ନିକଟରେ ପହଞ୍ଚି ଘରୋଇ ହସପିଟାଲକୁ ଡାକି ନେଉଛନ୍ତି ା ଏମକେସିଜିର ଡାକ୍ତର ହିଁ ସେହି ଘରୋଇ ହସପିଟାଲରେ ତାଙ୍କର ଅସ୍ତ୍ରପଚାର କରିବେ ବୋଲି ଦଲାଲମାନେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି ା କିଛି ଦଲାଲ ରୋଗୀଙ୍କୁ କାଜୁଆଲିଟିରୁ ଘରୋଇ ହସପିଟାଲକୁ ଡାକି ନେଉଥିବା ବେଳେ ଆଉ କିଛି ଆଟଡୋରରୁ ହିଁ ରୋଗୀଙ୍କ ପଛରେ ପଡି ଯାଉଛନ୍ତି ା ପୂର୍ବରୁ ଏମକେସିଜିରୁ ଏକାଧିକ ଦଲାଲ ଗିରଫ ହୋଇସାରିଛନ୍ତି ା ହେଲେ ପୁଲିସ ଓ ପ୍ରଶାସନର ନିରବତା ଯୋଗୁ ଏହି ଦଲାଲମାନେ ପୁଣି ଥରେ ସକ୍ରିୟ ହୋଇ ଉଠିଛନ୍ତି ା