ନାଟ୍ୟ ନିର୍ଦ୍ଦେଶକଙ୍କ ନିଆରା ପ୍ରୟାସ । କଳାକାରଙ୍କ ଚିକିତ୍ସା ପାଇଁ ଭିକାରୀ ବେଶରେ ମାଗିଲେ ସାହାଯ୍ୟ ।

Rakesh

May 30, 2025

Min Read

ମଞ୍ଚରେ ଜଣେ ରୁଗ୍ଣ ମହିଳା କଳାକାରଙ୍କ ପାଇଁ ସହାୟତାର ଭିକ୍ଷା । ନାଟ୍ୟ ନିର୍ଦ୍ଦେଶକ ଜଣେ ଅସୁସ୍ଥ ମହିଳା କଳାକାରଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଲୋଡୁଛନ୍ତି। ଗୀତର ତାଳେ ତାଳେ ଭିକ୍ଷା ମାଗି ପଇସା ଯୋଗାଡ଼ କରୁଛନ୍ତି । ଏହି ମର୍ମସ୍ପର୍ଶୀ ଭିଜୁଆଲ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ଏ ଦୃଶ୍ୟ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦମେଖ ଗ୍ରାମର।

ସୂଚନା ଅନୁସାରେ ଗ୍ରାମରେ ଅପେରା ‘କାନ୍ଦୁଛି କେବଳ ତୋରି ପାଇଁ’ ମଞ୍ଚସ୍ଥ କରାଯାଇଥିଲା । ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ପଟ୍ଟନାୟକ । ଅପେରା ପୂର୍ବରୁ ପ୍ରଥମେ ଆରମ୍ଭ ହୋଇଥିଲା ମେଲୋଡି । ମେଲୋଡିର ପ୍ରଥମ ଗୀତ ବାଜିଥିଲା ‘କିଏ କେବେ ଦେଖିଛ କି କଳାକାର କାନ୍ଦିବାର’ । ଏହି ଗୀତର ତାଳେ ତାଳେ ଧୋତି, ଗଞ୍ଜି ପିନ୍ଧି ଭିକାରୀ ବେଶରେ ମଞ୍ଚରେ ପହଞ୍ଚିଥିଲେ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକ । ଗୀତ ବାଜୁଥିଲା। ଆଉ ନିର୍ଦେଶକ ସୁଶାନ୍ତ ଯାତ୍ରା ଜଗତର କଣ୍ଠଶିଳ୍ପୀ ମଞ୍ଜୁଶ୍ରୀଙ୍କ ଚିକିତ୍ସା ପାଇଁ ଗାମୁଛା ଦେଖାଇ ଭିକ୍ଷା ମାଗିଥିଲେ । କିଡନୀ ହରାଇ ଅର୍ଥାଭାବରୁ ନିଜର ଚିକିତ୍ସା କରିପାରୁନଥିବା ମଞ୍ଜୁଶ୍ରୀଙ୍କ ସହାୟତା ପାଇଁ ଏହା ଥିଲା ଏକ ଛୋଟ ପ୍ରୟାସ।

ଉପସ୍ଥିତ ଭାବବିହ୍ୱଳ ଦର୍ଶକ କଳାକାର ମଞ୍ଜୁଶ୍ରୀଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶକଙ୍କ ଝୋଲାରେ ନିଜ ନିଜର ସାମର୍ଥ୍ଯ ଅନୁସାରେ ସହଯୋଗ କରିଥିଲେ । ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକଙ୍କ ଏଭଳି ଉଦ୍ୟମକୁ ଜିଲ୍ଲା ସବୁଆଡ଼େ ପ୍ରଶଂସା କରାଯାଉଛି।

ଦିନେ ଦର୍ଶକଙ୍କୁ ନିଜର ଯାଦୁକରୀ ସ୍ଵରରେ ବାନ୍ଧି ରଖୁଥିଲେ ମଞ୍ଜୁଶ୍ରୀ । ବେଶ୍ ଲୋକପ୍ରିୟ ଗାୟିକା ଥିଲେ। ହେଲେ ଦେଖୁ ଦେଖୁ ହଠାତ୍ ତାଙ୍କ ଜୀବନର ମୋଡ ବଦଳିଗଲା । ଦୁଇଟି କିଡନୀ ନଷ୍ଟ ହେବାପରେ ଏବେ ଦୁର୍ବିସହ ଜୀବନ ବିତାଉଛନ୍ତି ମଞ୍ଜୁଶ୍ରୀ । ଯାହା କିଛି ଟଙ୍କା ସଞ୍ଚୟ କରି ରଖିଥିଲେ ସବୁ ଚିକିତ୍ସାରେ ଖର୍ଚ୍ଚ ହୋଇଯିବା ପରେ ଅର୍ଥାଭାବ ଯୋଗୁଁ ଆଉ ଚିକିତ୍ସା ହୋଇ ନପାରି ଘରେ ପଡ଼ି ରହିଛନ୍ତି ମଞ୍ଜୁଶ୍ରୀ । ତେଣୁ ତାଙ୍କୁ ସହାୟତାର ହାତ ବଢାଇବା ପାଇଁ ଭିକାରୀ ବେଶରେ ମଞ୍ଚରେ ପହଞ୍ଚି ଏଭଳି ନିଆରା ପ୍ରୟାସ କରିଥିଲେ ନିର୍ଦ୍ଦେଶକ ସୁଶାନ୍ତ।

Related Post