ଲାଞ୍ଜିପଲ୍ଲୀ ଓଭରବ୍ରିଜ୍ ତଳ ଜେଲରୋଡରୁ ବୋମା ଓ ଖଣ୍ଡା ଜବତ ଘଟଣାରେ ଜଣେ ଯୁବ କଂଗ୍ରେସ ନେତାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଦକ୍ଷିଣପୁରର କଂଗ୍ରେସ ଯୁବନେତା ନୀଳମାଧବ ସାହୁ ଓରଫ ଭବାନୀ, ଫୁଲଟା ଗ୍ରାମର କାଳିଆ ଦାସ, ଓ ଦିନବନ୍ଧୁ ଦାସ ଓରଫ ଛୋଟା,ପ୍ରେମ ନଗର ପ୍ରଥମ ଲାଇନର ମାନି ରାଓ ଓ ବେଲଗାଁର ପ୍ରଭାତ ଦାସଙ୍କୁ ବାନ୍ଧିଛି ପୋଲିସ। ଜଣେ ଜେଲ୍ ଫେରନ୍ତାଙ୍କୁ ହତ୍ଯା ପାଇଁ ଅଭିଯୁକ୍ତମାନେ ଷଡଯନ୍ତ୍ର କରିଥିଲେ। ଦକ୍ଷିଣପୁରର ବୁଲୁ ନାୟକଙ୍କୁ ମାରିଦେବା ପାଇଁ ଗିରଫ ଯୁବକମାନେ ଷଡଯନ୍ତ୍ର କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି ।
ଗତ ୧୭ ତାରିଖ ସନ୍ଧ୍ୟାରେ ଲାଞ୍ଜିପଲ୍ଲୀ ଫାଣ୍ଡି ପୁଲିସ ବ୍ରହ୍ମପୁର ସର୍କଲ ଜେଲ ନିକଟ ଓଭର ବ୍ରିଜ୍ ତଳେ ବୋମା ଥିବା ନେଇ ସୂଚନା ପାଇଥିଲା। ଫାଣ୍ଡି ପୁଲିସ ଓ ବୈଦ୍ୟନାଥପୁର ଥାନା ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୁଚାଇ ରଖାଯାଇଥିବା ତିନିଟି ବୋମା ଓ ୫ଟି ଖଣ୍ଡା ଜବତ କରିଥିଲେ। ପୁଲିସ ଏ ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କଲା ପରେ ସତ ସାମନାକୁ ଆସିଥିଲା।
ନୀଳମାଧବ ଓରଫ ଭବାନୀ ଙ୍କ ସାଙ୍ଗ ଲାଞ୍ଜିଆ ଗ୍ରାମର ଶିବାଶିଷ ଚୌଧୁରୀ ଓରଫ ଶିବାଙ୍କୁ ଗତବର୍ଷ ସେପ୍ଟେମ୍ବରରେ ହତ୍ଯା କରାଯାଇଥିଲା । ଏହି ଘଟଣାରେ ସଦର ଥାନା ପୁଲିସ ଦକ୍ଷିଣପୁରର ସନ୍ତୋଷ ଗୌଡ଼ଙ୍କ ଓ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏଣେ ନକଲି ମଦ କାରବାର ମାମଲାରେ ଗିରଫ ହୋଇଥିବା ଦକ୍ଷିଣପୁରର ହିଁ ରାମକୃଷ୍ଣ ନାହାକ ଓରଫ ବୁଲୁଙ୍କୁ ମଧ୍ଯ ଶିବା ହତ୍ୟା ମାମଲାରେ ଯୋଡିଥିଲା ପୁଲିସ। ବୁଲୁ ଜାମିନରେ ଜେଲରୁ ମୁକୁଳିବ ବୋଲି ଖବର ପାଇବା ପରେ ତାଙ୍କୁ ହତ୍ଯା କରିବା ପାଇଁ ଷଡଯନ୍ତ୍ର କରିଥିଲା ଭବାନୀ।
ଏଥିପାଇଁ ସହଯୋଗୀମାନଙ୍କ ଜରିଆରେ ଓଭରବ୍ରିଜ ତଳେ ବୋମା ଓ ମାରଣାସ୍ତ୍ର ରଖିଥିଲା ଭବାନୀ। କିନ୍ତୁ ଷଡଯନ୍ତ୍ର ପଣ୍ଡ କରିଦେଇଛି ପୁଲିସ।