ବ୍ରହ୍ମପୁର, ୮ ଜୁଲାଇ ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) : କେଡେ କାଢୁଆ ଗଞ୍ଜାମ ପୋଲିସ ? କେଡେ ବୀରବର ବ୍ରହ୍ମପୁର ପୋଲିସ ? କେତେ ପାରିବାର ଓଡ଼ିଶା ପୋଲିସ ? କେତେ ସକ୍ଷମ ମୋହନ ପୋଲିସ ବାହିନୀ ? ଏବେ ଏମିତି ପ୍ରଶ୍ନ ସମସ୍ତ ଗଞ୍ଜାମବାସୀଙ୍କ ମନରେ ଉଙ୍କି ମାରୁଛି । ଲାଗୁଛି ମୋହନ ମାଝୀ ସରକାରରେ ଗଞ୍ଜାମ ଉପରେ ଗ୍ରହ ପଡ଼ି ଯାଇଛି । ଦିନକୁ ଦିନ ବଢୁଥିବା ଅପରାଧ ଆଉ ଅପରାଧୀଙ୍କ ଗତିବିଧିରୁ ଏହା ସ୍ପଷ୍ଟ ଅନୁମେୟ । ଏମିତି କେଉଁ ଏକ ଦିନ ନାହିଁ ଯେଉଁଦିନ ଜିଲ୍ଲାରେ ଅପରଧ ଘଟୁନି । ଏମିତି କେଉଁ ସପ୍ତାହ ନାହିଁ ଯେଉଁ ସପ୍ତାହରେ ମୁଣ୍ଡ ଗଡ଼ୁନି । ଏମିିତି କେଉଁ ମାସ ନାହିଁ ଯେଉଁ ମାସରେ ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠୁନି ।
ବିଜେଡି ସରକାର ସମୟର ପୋଲିସ ମୋହନ ମାଝୀ ସରକାରରେ କାହିଁକି ଫେଲ୍ ?
କାହିଁକି ଅପରାଧୀଙ୍କୁ ଧରି ପାରୁନି ଓଡ଼ିଶାର କାଢୁଆ ପୋଲିସ ବାହିନୀ ?
ଅପରାଧୀଙ୍କ ଗତିବିଧି କାହିଁକି ନିୟନ୍ତ୍ରଣକୁ ଆସୁନି ?
ଆମେ ଏଇଥି ପାଇଁ ଆଉ ଥରେ ଦୋହରାଉଛୁ କାହିଁକିନା ପୁଣି ରବିବାର ରାତି ଗୋଳନ୍ଥରା ଥାନା ଅଞ୍ଚଳରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଘର ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଅତି ବୀଭତ୍ସ ଭାବେ ଖଣ୍ଡାରେ ହାଣି ଗଣ୍ଡିମୁଣ୍ଡକୁ ଅଲଗା କରିଥିବା ନେଇ ସୂଚନା ମିଳିଛି। ମୃତ ବ୍ୟକ୍ତି ସିଙ୍ଗାବାଡ଼ି ଗ୍ରାମର ଦିଲ୍ଲୀପ ପାତ୍ର ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି। ସିଙ୍ଗାବାଡ଼ି ଗ୍ରାମର ଦିଲ୍ଲୀପ ପାତ୍ର ଘରେ ଥିବା ବେଳେ ରାତି ପ୍ରାୟ ୧୧ଟା ସମୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେହି ଗ୍ରାମର ୪/୫ ଜଣ ଦୁର୍ବୃତ୍ତ ଘରେ ପଶି ଯାଇଥିଲେ। ଦିଲ୍ଲୀପ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇ ଏହା ଉଗ୍ରରୂପ ଧାରଣ କରିଥିଲା। ଘର ବାରଣ୍ଡାରେ ନିକଟରେ ଦୁର୍ବୃତ୍ତମାନେ ମିଶି ଖଣ୍ଡାରେ ଦିଲ୍ଲୀପଙ୍କ ମୁଣ୍ଡ ଓ ଗଣ୍ଡି ହାଣି ଦେଇଥିଲେ।
ଦିଲ୍ଲୀପ ଗୁରୁତର ହୋଇ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା। ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଓ ଅନ୍ୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିବାର ଲୋକ ଓ ପୋଲିସ ଗୁରୁତର ଦିଲ୍ଲୀପଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଘଟଣା ପରଠାରୁ ଦୁର୍ବୃତ୍ତମାନେ ଫେରାର ହୋଇଥିବା ସୂଚନା ମିଳିଛି। ଅନ୍ୟ ପଟେ ଅଭିଯୁକ୍ତ ଧରିବା ପାଇ ପୋଲିସ ପକ୍ଷରୁ ଟିମ୍ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି। ମୃତ୍ୟୁ ଦିଲ୍ଲୀପ ଭାଜପା କର୍ମୀ ଥିବା ଜଣାପଡ଼ିଛି।