ଅପରାଧୀଙ୍କ ବିରୋଧରେ ବ୍ରହ୍ମପୁର ପୋଲିସର ସ୍ପେଶାଲ୍ ଡ୍ରାଇଭ୍। ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଆତଙ୍କରାଜ ଚଲାଇଥିବା ୧୨ କୁଖ୍ଯାତ ଅପରାଧୀଙ୍କୁ ଗିରଫ କରାଯାଇଛି। ଗତ କିଛି ଦିନ ହେଲା ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଅପରାଧିମାନଙ୍କର ଆତଙ୍କରାଜ ଚାଲିଥିଲା । କଥାକଥାକେ ଫୁଟୁଥିଲା ଗୁଳି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଅପରାଧୀ।
ଏଭଳି ବ୍ରହ୍ମପୁର ପୋଲିସ ଆରମ୍ଭ କରିଥିଲା ସ୍ପେଶାଲ ଡ୍ରାଇଭ । ଆଉ ଏହି ସ୍ପେଶାଲ ଡ୍ରାଇଭରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ରହିଥିବା ବଡ଼ବଜାର, ସଦର ଥାନା, ନିମଖଣ୍ଡି ଓ ଦିଗପହଣ୍ଡି ଥାନା ଅଞ୍ଚଳରେ ବ୍ୟାପକ ଚଢ଼ାଉ ହୋଇଥିଲା । ଚାରି ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ୧୨ ଜଣ କୁଖ୍ୟାତ ଅପରାଧିଙ୍କୁ ଧରିଛି ପୋଲିସ। ସେମାନଙ୍କ ଠାରୁ ଜବତ ହୋଇଛି ୬ଟି ପିସ୍ତଲ, ୧୨ଟି ଅଫୁଟା ଗୁଳି, ୫ଟି ଖଣ୍ଡା, ଗୋଟିଏ ଶାବଳ ଓ ୭ଟି ମୋବାଇଲ । ଗିରଫ ଅପରାଧିମାନେ ବ୍ରହ୍ମପୁର ସହ ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିଲେ। ସମସ୍ତ ଅପରାଧିଙ୍କ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ଅନେକ ମାମଲା ରହିଛି। ଗିରଫ ଅପରାଧିମାନେ ବିହାରର ମୁଙ୍ଗେରରୁ ପିସ୍ତଲ ଆଣୁଥିଲେ।
ବ୍ରହ୍ମପୁର ପୋଲିସର ଏହି ସ୍ପେଶାଲ ଡ୍ରାଇଭ ଆଗକୁ ମଧ୍ୟ ଜାରି ରହିବ । ବିଭିନ୍ନ ମାମଲାରେ ସମ୍ପୃକ୍ତ ଥାଇ ଫେରାର ଥିବା ଅପରାଧିଙ୍କୁ ମଧ୍ୟ ଗିରଫ କରାଯିବ। ଗିରଫ ହୋଇଥିବା ୧୨ ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯାଇଛି।